ଓଡିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ : ଓଡିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଓଡିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ବୋହୂ ତଥା ଛାତ୍ରୀ ସୁଜାତା ୧୮ ବର୍ଷରୁ ନୃତ୍ୟ ପରିବେଷଣ କରୁଛନ୍ତି । ତାଙ୍କର ନୃତ୍ୟଶୈଳୀ ଉଭୟ ଦର୍ଶକ ଓ ସମାଲୋଚକଙ୍କୁ ମଧ୍ୟ ନୀରବ କରିଦେଇଛି । ତାଙ୍କ ନୃତ୍ୟରେ ଗୁରୁ କେଳୁ ଚରଣ ମହାପାତ୍ରଙ୍କ କଳା ଦେଖିବାକୁ ମିଳେ । ସେ କେଳୁ ଚରଣ ମହାପାତ୍ରଙ୍କ ପୁଅ ରତିକାନ୍ତଙ୍କୁ ବିବାହ କରିଛନ୍ତି । ତାଙ୍କ ଝିଅ ପ୍ରୀତିଶା ମହାପାତ୍ର ମଧ୍ୟ ଜଣେ ଜଣାଶୁଣା ଓଡିଶୀ ନୃତ୍ୟଶିଳ୍ପୀ । ସୁଜାତାଙ୍କ ସମେତ ବଂଶୀବାଦକ ରାଜେନ୍ଦ୍ର ପ୍ରସନ୍ନ, କଥକ ନୃତ୍ୟଶିଳ୍ପୀ ଶୋବା କୋସର, ଲୋକ ସଙ୍ଗୀତ ଗାୟକ ଅନୱାର ଖାନ୍ଙ୍କୁ ମଧ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୭ରେ ୫ ବର୍ଗରେ ମୋଟ୍ ୪୨ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି ।