ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ସହ ବହୁ କର୍ମୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର,୬/୨/୨୦୧୯(ହଲଚଲ୍ ନ୍ୟୁଜ୍): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଭୁବନେଶ୍ୱର ଜିଲ୍ଲା ଉପ-ସଭାପତି ପୁରଞ୍ଜନ ପାଢ଼ୀ, ସଂପାଦକ ସଦାଶିବ ଜେନା, ଓବିସି ମୋର୍ଚ୍ଚା ସଂପାଦକ ସୁଶିଲ ପ୍ରଧାନ, ମହିଳା ମୋର୍ଚ୍ଚା ଉପ-ସଭାପତି ବେବିନା ପ୍ରଧାନ, ମିଲି ରଣା, ଭାବେନୀ ରଥ, କବିତା ବରାଳ, ସ୍ୱର୍ଣ୍ଣପ୍ରଭା ଜେନା, କେଶବ ରଣା, କାବୁଲି ସ୍ୱାଇଁ ପ୍ରମୁଖ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେପିର ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜେପିର ନେତା ଓ କର୍ମୀ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।
ଏହି ଅବସରରେ ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର କହିଥିଲେ ଯେ ଏହା ଆମ ପାଇଁ ନିଶ୍ଚିତ ଭାବେ ସୁଖଦ ଖବର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ବିଶେଷକରି ମହିଳାମାନଙ୍କୁ ଗୁରୁତ୍ୱ ଓ ପ୍ରାଧାନ୍ୟ ଦେଇଆସିଛି । ଶ୍ରୀମତୀ ପ୍ରିୟଦର୍ଶିନୀ କହିଥିଲେ ଯେ ବିଜେପିରେ ନାରୀମାନଙ୍କୁ ସମ୍ମାନ ଦିଆଯାଉନାହିଁ । ଯେଉଁଠାରେ ଗୋଟିଏ ମହିଳାଙ୍କୁ ଦଳରେ ଅସମ୍ମାନ କରାଗଲା, ସେଠାରେ କାହିଁକି ସମସ୍ତେ ନିରବ ରହିଲେ? ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏପରିକି ଓଡ଼ିଶା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଏ ବିଷୟରେ ଜଣାଇବା ପରେ ମଧ୍ୟ କିଛି ପଦକ୍ଷେପ ନିଆଗଲା ନାହିଁ । ତେଣୁ ବାଧ୍ୟ ହୋଇ ମୋର ସମ୍ମାନକୁ ବଞ୍ଚାଇବାକୁ ଯାଇ ବିଜେପି ପରିତ୍ୟାଗ କରିଛି ଏବଂ ବିଜୁ ଜନତା ଦଳରେ ଯୋଗ ଦେଲି ବୋଲି ଶ୍ରୀମତୀ ପ୍ରିୟଦର୍ଶିନୀ କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।