ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ ଆଜି

ୱେ ଲିଂଟନ୍ : ଏକଦିବସୀୟ ସିରିଜରେ ଭାରତଠାରୁ ୪-୧ରେ ପରାଜିତ ହେବା ପରେ ନ୍ୟୁଜିଲାଣ୍ଡ ଟିମ୍ ଏବେ ଟି-୨୦ ସିରିଜ୍ ପାଇଁ ଅଣ୍ଟା ଭିଡ଼ିଛି । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ସେଠାରେ ଘରୋଇ ଦଳ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚ୍ ବୁଧବାର ୱେ ଲିଂଟନ୍ରେ ଖେଳାଯିବ । ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଦିବସୀୟ ସିରିଜ୍ ଜିତିବା ପରେ ଭାରତୀୟ ଟିମ୍ର ମନୋବଳ ଦୃଢ଼ ରହିଛି । ଆଇସିସି ର‌୍ୟାଙ୍କିଂରେ ନମ୍ବର ୨ରେ ଥିବା ଭାରତ ଓ ନମ୍ବର ୬ରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ମୁହାଁମୁହିଁ ହେବେ । ଭାରତୀୟ ଟିମ୍ର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ପ୍ରଥମ ଟି-୨୦ରେ ଭାରତୀୟ ଟିମ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ । ତେବେ ଟି-୨୦ କ୍ଷେତ୍ରରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ଭଲ ରହିଛି । ୨୦୦୭ରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ହାତେଇଥିଲେ ମଧ୍ୟ ଏକମାତ୍ର ଟିମ୍ଭାବେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା । ବିରାଟ କୋହଲିଙ୍କ ଅନୁପସ୍ଥିତି ରୋହିତ ଶର୍ମାଙ୍କ ଚିନ୍ତାର କାରଣ ପାଲଟିଛି । ନ୍ୟୁଜିଲାଣ୍ଡ ମାଟିରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଜିତିନାହିଁ । କିନ୍ତୁ ବର୍ତ୍ତମାନ ଭାରତୀୟ ଟିମ୍ର ସମସ୍ତ ଖେଳାଳୀ ଫର୍ମରେ ଥିବାରୁ ବୁଧବାର ଭାରତୀୟ ଟିମ୍ ଇତିହାସ ରଚିପାରେ ବୋଲି ଚର୍ଚ୍ଚା ହେଉଛି ।