ସଂପର୍କୀୟଙ୍କ ଆତ୍ମହତ୍ୟା କୁ ନେଇ ବଣାଇ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା !

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍)-ବଣାଇ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଘରେ ଟିକାୟତପଲ୍ଲୀ ଗାଁ ଲୋକେ ଭଙ୍ଗାରୁଜା କରିଥିବା ଖବର ମିଳିଛି।ସୂୂଚନାରୁ ପ୍ରକାଶ ଯେ, ଅଧ୍ୟକ୍ଷାଙ୍କ ଧରମ ଭଣଜାଙ୍କ ସ୍ତ୍ରୀ ଆତ୍ମହତ୍ୟାକରିଥିବା ବେଳେ ଏହାକୁ ନେଇ ଏହି କାଣ୍ଡ ଘଟିଛି। ଆକ୍ରମଣ ପରେ ଅଧ୍ୟକ୍ଷା ଓ ତାଙ୍କ ପରିବାର ଲୋକେ ଫେରାର୍‌ ହୋଇଯାଇଛନ୍ତି। ଏହାକୁ ନେଇ ସୋମବାର ରାତିରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।ସୂଚନା ଅନୁସାରେ, ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀ ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଶିବନାଥପୁର ଗାଁର ଗଣେଶ କିଷାନଙ୍କୁ ଧରମ ଭଣଜା କରିଥିଲେ। ବର୍ଷେ ତଳେ ଗଣେଶଙ୍କୁ ନିକିତାମାଲ୍ ଗାଁର ରଶ୍ମିତାଙ୍କ ସହ ସେ ବାହା କରାଇଥିଲେ। ହେଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ରଶ୍ମିତା ଅଲଗା ଜାଗାରେ ରହୁଥିଲେ। ସୋମବାର ରଶ୍ମିତାଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିଲା। ରଶ୍ମିତା ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକ କହିଥିବା ବେଳେ ତାଙ୍କୁ ବିଷ ପିଆଇ ହତ୍ୟା କରାଯାଇଛି ବୋଲି ରଶ୍ମିତାଙ୍କ ବାପଘର ଲୋକ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ରଶ୍ମିତାଙ୍କ ସ୍ବାମୀ ଗଣେଶ କିଷାନଙ୍କୁ ଗିରଫ କରିଛି। ଅପରପକ୍ଷେ ବ୍ୟବଚ୍ଛେଦ ପରେ ଶାଶୂଘର ଲୋକେ ମୃତଦେହକୁ ନେବାକୁ ମନା କରି ଦେଇଥିବା ବେଳେ ଶବ ସତ୍କାର ହୋଇପାରିନାହିଁ। ଫଳରେ ଦୁଇ ଦିନରୁ ରଶ୍ମିତାଙ୍କ ମୃତଦେହ ସତ୍କାର ନ ହୋଇ ପଡ଼ି ରହିଛି। ଏହାକୁ ନେଇ ରଶ୍ମିତାଙ୍କ ଘରଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ରଶ୍ମିତାଙ୍କ ସମ୍ପର୍କୀୟ ଓ ନିକିତାମାଲ ଗାଁ ଲୋକେ ବଣାଇ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା କରିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ୍‌ ଫୋର୍ସ ମୁତୟନ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଧ୍ୟକ୍ଷାଙ୍କ ପରିବାର ଲୋକେ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।