ପଡୋଶୀ ଓଡିଶା ଓ ଝାଡଖଣ୍ଡ ରୁ ଆସୁଥିବା ଚୋରା ଧାନ ଉପରେ ଛତିଶଗଡ ସରକାରଙ୍କ କଡା ନଜର

ରାୟପୁର :ଛତିଶଗଡରେ ଧାନ କ୍ୟୁଣ୍ଟାଲ ପ୍ରତି ୨୫୫୦ ଟଙ୍କା ହୋଇଥିବାରୁ ଓଡିଶା ଓ ଝାଡ଼ଖଣ୍ଡରେ ଖୁବ୍ କମ୍ ଥିବାରୁ ଏହି ରାଜ୍ୟର ଚାଷୀ ଅସାଧୁ ବେପାରୀଙ୍କୁ ଚଢା ଦରରେ ବିକ୍ରୀ କରି ଧାନ ଛତିଶଗଡ଼କୁ ଚାଲାଣ କରାଯାଉଥିବା ଜଣାପଡିଛି। ଫଳରେ ଏହି ଉଭୟ ରାଜ୍ୟର ଧାନ ଉପରେ ଛତିଶଗଡ଼ ସରକାର ନଜର ରଖିଛି। କାରଣ ଖରିଫ ଫସଲ ପରେ ବର୍ତ୍ତମାନ ଚାଷୀମାନେ ଧାନ ଅମଲ କରିସାରିଛନ୍ତି। ଧାନ ବିକ୍ରି କରିବା ପାଇଁ ସେମାନେ ଅଧିକ ସମର୍ଥନ ମୂଲ୍ୟ ଖୋଜୁଛନ୍ତି। ଛତିଶଗଡ଼ରେ ଧାନର କ୍ୱିଣ୍ଟାଲ ପିଛା ଅଧିକ ଦର ହୋଇଥିବାରୁ ଓଡ଼ିଶା ଓ ଝାଡ଼ଖଣ୍ଡର ଚାଷୀମାନେ ପଡ଼ୋଶୀ ରାଜ୍ୟରେ ଧାନ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥି ପାଇଁ ଏହି ଦୁଇ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାର ଚାଷୀମାନେ ଛତିଶଗଡ଼ର ରାୟଗଡ, ଯଶପୁର, ମହାସମୁନ୍ଦ, ସରାଇପାଲି ଭଳି ଜିଲ୍ଲା ଗୁଡ଼ିକରେ ଧାନ ବିକିବାକୁ ସୁଯୋଗ ଖୋଜୁଛନ୍ତି। ଓଡିଶା ଓ ଝାଡ଼ଖଣ୍ଡରେ ଛତିଶଗଡ଼ ତୁଳନାରେ ଦର କମ ଥିବାରୁ ଏହି ୨ ରାଜ୍ୟର ଚାଷୀ ନିଜ ପାଖରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଧାନ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି।

ଏଭଳି ପରିସ୍ଥିତିରେ ଛତିଶଗଡ଼ର ଯଶପୁର ଜିଲ୍ଲା ପ୍ରଶାସନ ଓଡ଼ିଶା ଓ ଝାଡ଼ଖଣ୍ଡ ଚାଷୀଙ୍କ ଉପରେ ନଜର ରଖିଛି। ଜିଲ୍ଲାପାଳ ନିଲେଶ କୁମାର ମହାଦେବ କ୍ଷୀରସାଗରଙ୍କ ଦ୍ୱାରା ଓଡ଼ିଶା ଓ ଝାଡ଼ଖଣ୍ଡର ଧାନ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଭାବରେ ଟିମ୍‌ ଗଠନ କରାଯାଇଛି। ସ୍ୱତନ୍ତ୍ର ଟିମ୍‌ ଧାନମଣ୍ଡିରେ ଧାନକୁ ଯାଞ୍ଚ କରୁଛନ୍ତି। ସେମାନେ ସ୍ଥାନୀୟ ଅଂଚଳର କେଉଁ ବ୍ୟକ୍ତିଙ୍କ ମାଧ୍ୟମରେ ଧାନ ବିକ୍ରି କରୁଛନ୍ତି, ସେ ବାବଦରେ ତଦନ୍ତ କରୁଛନ୍ତି।