ପୁରୀ:ଡେଲାଙ୍ଗ ସ୍ଥିତ ‘ଆଭା’ରେ ଶିଶୁଙ୍କୁ ଯୌନ ନିର୍ଯାତନା !!

ପୁରୀ : ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର  ଶିଶୁ ଗୃହରେ ଯୌନ ଶୋଷଣ ଘଟଣାର ପୁନରାବୃତ୍ତି ଘଟିଛି ପୁରୀ ଜିଲାରେ।  ଡେଲାଙ୍ଗସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ‘ଆଭା’ରେ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଏବେ ପଦାକୁ ଆସିଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ପୋଲିସ ଆଇପିସି ଦଫା ୨୯୪, ୨୩୨, ୩୫୪, ୩୫୪(ଏ), ୩୪ ସହ ପୋକ୍‌ସୋ ଆକ୍ଟ ୧୦/୧୨ ଓ ଜେଜେ ଆକ୍ଟ ୭୫ରେ ମାମଲା (ନଂ.୨/୧୯) ରୁଜୁ କରି ଅନୁଷ୍ଠାନର ଦୁଇ ମହିଳା କେୟାରଟେକରଙ୍କୁ ଗିରଫ କରିଛି। ସେମାନେ ହେଲେ  ଲବଙ୍ଗ ସ୍ବାଇଁ(୩୬) ଓ ବାସନ୍ତି ସ୍ବାଇଁ (୪୦)। ତେବେ ମୁଖ୍ୟ ଅଭିଯୁକ୍ତ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଗଙ୍ଗାଧର ପ୍ରଧାନ ଫେରାର ଥିବା ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି କହିଛନ୍ତି।

ତାଙ୍କ ସୂଚନାନୁସାରେ, ଗିରଫ ମହିଳାଦ୍ୱୟଙ୍କ ନାଁରେ ପିଲାଙ୍କୁ ଗାଳିଗୁଲଜ ସହ ମାରପିଟ୍‌ ଓ ଫେରାର ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ହୋଇଥିଲା। ଗୁରୁବାର ବିଳମ୍ବିତ ରାତିରେ ଥାନାରେ ଡିସିପିଓଙ୍କ ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର କଣାସସ୍ଥିତ ନୀଳାଚଳ ଶିଶୁ ସଦନକୁ ସ୍ଥାନାନ୍ତର ହୋଇଥିବା ନାବାଳିକା (ଅଭିଯୋଗ ଆଣିଥିବା ନାବାଳିକା)ଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହି ଆଧାରରେ ପଦକ୍ଷେପ ଆରମ୍ଭ ହୋଇଛି। ତେବେ ଫେରାର ମୁଖ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।

ଢେଙ୍କାନାଳ ବେଲଟିକିରି ଘଟଣା ପରେ ରାଜ୍ୟରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନଗୁଡିକର ଯାଞ୍ଚ କରାଯାଇଥିଲା। ଡିସେମ୍ବର ୧୩ରେ ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନ୍‌ସିପିସିଆର୍‌) ଟିମ୍‌ ଡେଲାଙ୍ଗସ୍ଥିତ ଆଭା ଶିଶୁ ଯତ୍ନ ଅନୁଷ୍ଠାନକୁ ଯାଇ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବା ସହ ବିଭିନ୍ନ ବିଷୟରେ କର୍ମଚାରୀ ଓ ପିଲାଙ୍କୁ ପଚାରି ବୁଝିଥିଲେ। ସେଠାରେ ନାନା ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲା ଟିମ୍‌। ତେବେ ଏହି ସମୟରେ ଜଣେ ନାବାଳିକା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏ ସଂକ୍ରାନ୍ତରେ ଟିମ୍‌  ରିପୋର୍ଟ ଦେବା ପରେ ଜିଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ପୁରୀ ଜିଲା ଶିଶୁ କଲ୍ୟାଣ କମିଟି ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ସେଠାରୁ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡିସିପିଓ ତୁରନ୍ତ ଥାନାରେ ଅଭିଯୋଗ କରି ନ ଥିଲେ। ମିଳିଥିବା ସୂଚନାନୁସାରେ, ଯୌନ ଶୋଷଣ ଅଭିଯୋଗକୁ ଆରମ୍ଭରୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ଯୌନଶୋଷଣ ସଂକ୍ରାନ୍ତରେ କୌଣସି ପ୍ରଶାସନିକ ତଥା ବିଭାଗୀୟ ଅଧିକାରୀ ମୁହଁ ଖୋଲି ନ ଥିବାବେଳେ ଅନୁଷ୍ଠାନ କର୍ମକର୍ତ୍ତା ଧରାଛୁଆଁ ଦେଇ ନ ଥିଲେ। ଅଧିକାରୀମାନେ ଯୌନ ଶୋଷଣ ଅଭିଯୋଗକୁ ଏଡାଇଯାଇ କେବଳ ଅବ୍ୟବସ୍ଥା ସଂକ୍ରାନ୍ତରେ କହିଥିଲେ। ଏ ନେଇ ଓଡ଼ିଶା ଷ୍ଟେଟ୍‌ ଚାଇଲ୍ଡ ପ୍ରୋଟେକ୍ସନ ସୋସାଇଟି (ଓଏସ୍‌ସିପିଏସ୍‌)ର ନିର୍ଦ୍ଦେଶକ ରେଘୁ ଜି କହିଛନ୍ତି, ଏହା ଅତି ସମ୍ବେଦନଶୀଳ ଘଟଣା। ଏହାକୁ ଗୁରୁତ୍ୱ ସହିତ ଗ୍ରହଣ କରାଯାଇଛି। ଏନେଇ ଜିଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି କୌଣସି ଜିଲା ସ୍ତରୀୟ ଅଧିକାରୀ ଉତ୍କୋଚ ଦାବି କରିଥିବେ କିମ୍ବା ଚାପିଦେବାକୁ ଉଦ୍ୟମ କରିଥିବା ପ୍ରମାଣିତ ହୁଏ, ତେବେ ସେମାନଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ଜିଲାପାଳ ଜ୍ୟୋତି ପ୍ରକାଶ ଦାସ କୁହନ୍ତି, ଆଭା ଅନୁଷ୍ଠାନ ନାଁରେ ଅଭିଯୋଗ ଆସିବା କ୍ଷଣି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ସତ୍ୟବାଦୀସ୍ଥିତ ଶିଶୁ ସେବା ସଦନ ବିରୋଧରେ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଣିକି ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଯାଞ୍ଚ ଲାଗି ଡିସିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।